ମେଡିକାଲ ପରିସରକୁ ପଶିଆସିଲା ହରିଣ ଛୁଆ। ସୁରକ୍ଷିତ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ଗାଁ ଯୁବଗୋଷ୍ଠୀ। ଗତକାଲି ଅପରାହ୍ନରେ ଝଡ ତୋଫାନ ସହ ଅସରାଏ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଆନନ୍ଦପୁର ଉପଖଣ୍ଡ, ଘଷିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡା ଗାଁ ସନ୍ନିକଟ ବରାଙ୍ଗ ଜଙ୍ଗଲ ମଧ୍ୟରୁ ଏକ ହରିଣ ଛୁଆ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ପଶି ଆସିଥିଲା।
ଗାଁ ଯୁବକମାନେ ମିଶି ହରିଣ ଛୁଆଟିକୁ କୌଶଳ କ୍ରମେ ଡାକ୍ତରଖାନା ପରିସରରୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁଣି ସ୍ଥାନୀୟ ବରାଙ୍ଗ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ।
ତେବେ ବରାଙ୍ଗ ଜଙ୍ଗଲ ମଧ୍ୟରୁ ହରିଣ କୁଟୁରା ଗାଁ ଭିତରକୁ ପଶି ଆସିବା ନୂଆ ଘଟଣା ନୂହେଁ। ଗ୍ରୀଷ୍ମ ଦିନରେ ଅନେକ ସମୟରେ ହରିଣ ପଲ ଦଳଦଳ ହୋଇ ଖାଦ୍ୟ ଅନ୍ବେଷଣରେ ଗାଁ ମଧ୍ୟକୁ ପଶିଆସି ବୁଲା କୁକୁରଙ୍କ ହାବୁଡରେ ପଡି କ୍ଷତାକ୍ତ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି।
ହାତ ଗଣତି କେଇଜଣ ଅସ୍ଥାୟୀ ବନ କର୍ମଚାରୀଙ୍କ ଦ୍ବାରା ଜଙ୍ଗଲ ସୂରକ୍ଷା ଦାୟିତ୍ବ ନ୍ୟସ୍ତ କରାଯାଇଛି। ଯାହା ଫଳରେ ବରାଙ୍ଗ ଜଙ୍ଗଲରେ ରହୁଥିବା ବନ୍ଯପ୍ରାଣୀ ଏବଂ ହରିଣ ବଂଶ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।